ସଂସ୍କୃତି ଏବଂ ଐତିହ୍ୟ

ବଲାଙ୍ଗିର ଜିଲ୍ଲାର ସଂସ୍କୃତି ଏବଂ ଐତିହ୍ୟ

ପ୍ରାକ୍ତାନ ପାଟଣା ଓ ସୋନପୁର୍ ଗଡ଼ଜାତ ସ୍ବାଧିନତା ପରେ ୧ ଜନୁୟାରୀ ୧୯୪୮ ଦିନରୁ ଓଡିଶା ରାଜ୍ୟ ଭୁକ୍ତ ହୋଇ ସଦର ମହକୁମା ବଲାଙ୍ଗିରର ନାମ ଅନୁସାରେ ବଲାଙ୍ଗିର ଜ଼ିଲ୍ଲା ନାମ ଧାରଣ କଲା । ପୂର୍ବତନ ଚୌହାନ ରାଜବଂଶ ଶାସିତ ପଟନା ଓ ସୋନପୁର୍ ଗଡଜାତ ନବଗଠିତ ବଲାଙ୍ଗିର ଜିଲ୍ଲା ଅନ୍ତର୍ଭୁକ୍ତ ଥିଲେ। 1993 ମସିହାରେ ଓଡିଶାର 13 ଟି ଜିଲ୍ଲାର 30 ଟି ଜିଲ୍ଲା ରେ ବିଭକ୍ତ କାରଣ ହେତୁ ପ୍ରାକ୍ତନ ପାଟଣା ଗଡଜାତ ପରିଶରଭୁକ୍ତ ଅଞ୍ଚଳରେ କେବଳ ବଲାଙ୍ଗିର ଜିଲ୍ଲା ସୀମିତ ରହିଲା ଓ ସୋନପୁର – ସୁବର୍ଣ୍ଣପୁର ଜିଲ୍ଲାରେ ପରିଣତ ହେଲା ।

ପ୍ରସିଦ୍ଧ ଦେବାଦେବୀ ପୀଠ ଓ ମନ୍ଦିର

ବଲାଙ୍ଗିର ଜିଲ୍ଲା ର ବିଭିନ୍ନ ଦେବାଦେବୀ ପୀଠ ଓ ମନ୍ଦିର ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ର ରାଣୀପୁର ଝରିଆଲ,ସୋମେଶ୍ଵର ଶିବ ମନ୍ଦିର ,ଚଉଷଠି ଯୋଗିନୀ ମନ୍ଦିର, ଇନ୍ଦ୍ରଲାଠ ମନ୍ଦିର, ସଇଁତଳା ଚଣ୍ଡୀ ମନ୍ଦିର, କୁସଙ୍ଗ ର କୁସଙ୍ଗେଇ ପୀଠ, ସଉନ୍ତପୁର ର ସଉନ୍ତାଇ ପୀଠ, ପାଟଣାଗଡ଼ ରେ ସୋମେଶ୍ଵର ଓ ପଟେନେଶ୍ଵରୀ ମନ୍ଦିର ତଥା ହରିଶଙ୍କର ,ଯୋଗୀଷୁର୍ଡ , ସୁର୍ଡା , ଖୁଜେନପାଲି ଆଦି ସ୍ଥାନ ର ଶିବ ମନ୍ଦିର ଦର୍ଶନୀୟ ସ୍ଥାନ ଭାବେ ପରିଚିତ | ଏମାନଙ୍କ ମଧ୍ୟରୁ ସୁର୍ଡା ଠାରେ ଥିବା ଶିବ ମନ୍ଦିର ପ୍ରଚୀନ ଅଟେ ।

ଯାନିଯାତ୍ରା

ପ୍ରସିଦ୍ଧ ଯାନିଯାତ୍ରା ମଧ୍ୟରେ ଟିଟିଲାଗଡ ସମେତ ସମସ୍ତ ଶୈବ ପୀଠ ରେ ଶିବରାତ୍ରୀ ଶୀତଳ ଷଷ୍ଠୀ ବଲାଙ୍ଗିର ପାଟଣାଗଡ ,ମୁର୍ଶିଙ୍ଘ ଆଦି ସ୍ଥାନରେ ରଥଯାତ୍ରା , ହରିଶଙ୍କର ର ନୃସିଂହ ଚତୁର୍ଦସୀ ମେଳା, ଜରାଶିଙ୍ଘା ର ପାଟଖଣ୍ଡା ଯାତ୍ରା ,ପାଟଣାଗଡ ର ବଏଲ ଯାତ୍ରା ,ଲୋଇସିଂହା ନିକଟ କୁଣ୍ଡାଦଉ ଯାତ୍ରା , ଦେଓଗାଁ ପାଖ ଖାଇର ଗୁରା , ବାରପୁରଗିଆ , ଏବଂ ମିର୍ଧା ପାଲି ର ସୁଲିଆ ଯାତ୍ରା , ବଲାଙ୍ଗିର ସନ୍ନିକଟ ଭାଳେର ସହ ପାଟଣାଗଡ ,ରାଉତ ମୁଣ୍ଡା ,ବଙ୍ଗୋମୁଣ୍ଡା ,ଝାରମୁଣ୍ଡା ,ନଅଗାଁ ଆଦି ସ୍ଥାନ ର ଧନୁଯାତ୍ରା ମହୋତ୍ସବ ,କୁଥୁର୍ଲା ,ସଲେପାଲି ,ତାମିଆ ,ବଥର୍ଲା ,ଚିକଲବାହାଲ , ବିଷ୍ଣୁମୁଣ୍ଡା ,କୁମ୍ଭାରୀ ,କୁସମେଲ , ଆଡେନଡୁଙ୍ଗରୀର ରାମଲୀଳା ଯାତ୍ରା ତଥା ଚୂଡା ପାଲି ,ଆଗଲପୁର ,ଦେଦରହ ର ଗଜଲକ୍ଷ୍ମୀ ପୂଜା ବେଶ ଉପଭୋଗ୍ୟ |

ଏତତ ବ୍ୟତିତ ବଲାଙ୍ଗିର ସଦର ମହକୁମା ରେ ପ୍ରତି ବର୍ଷ ବଲାଙ୍ଗିର ଲୋକ ଉତ୍ସବ , ଟିଟିଲାଗଡ ର କୁମୁଡା ଉତ୍ସବ ,ବଡମାଳ ଗୋଲବାରୁଦ କାରଖାନା ପରିସର ରେ ବଡମାଳ ଉତ୍ସବ ,ଝରିଆଲ ତଥା ଭଇଁଷା ରେ ଅନୁଷ୍ଟିତ ଝରିଏଲ ମହୋତ୍ସବ ,ଜରାଶିଙ୍ଘା ପାଟ ଖଣ୍ଡା ମହୋତ୍ସବ , ଭୀମ ଡ଼ୁଙ୍ଗୁରୀ ମହୋତ୍ସବ ,କଣ୍ଟାବାଞ୍ଜି ଲୋକ ଉତ୍ସବ ,ହରିଶଙ୍କର ନୃସିଙ୍ଘ ଚତୁର୍ଦସୀ ମେଳା ,ଟିଟିଲାଗଡ ଶିବ ରାତ୍ରି ମେଳା ,କୁସଙ୍ଗ ମକର ଉତ୍ସବ ,ଭୂମିକା ର ମଠଖାଇ ଉତ୍ସବ, ଦୁଲଦୁଳି କଳା ପରିଷଦ ପକ୍ଷ ରୁ ଲୋକ କଳା ଉତ୍ସବ ଏବଂ ସାଇଟ ସଂସ୍କୃତିକ ସଂସଦ ସଦଇପାଲି ର ଲୋକ ନାଟକ ଉତ୍ସବ ବେସ ମନୋରମ ଓ ଉପଭୋଗ୍ୟ |

ପର୍ବ ପର୍ବାଣି

ବିଶେଷ ଭାବେ ନୂଆଖାଇ ଏ ଅଞ୍ଚଳ ର ପ୍ରସିଦ୍ଧ ପର୍ବ | ଏତଦ୍ ବ୍ୟତୀତ ଭାଇ ଜିଇନ୍ତିଆ ,ପୁଓ ଜିଇନ୍ତିଆ ,ପୁଷପୁନୀ ,ଲକ୍ଷ୍ମୀ ପୂଜା ବଲାଙ୍ଗିର ର ବିଭିନ୍ନ କୋଣ ଅନୁକୋଣ ରେ ହର୍ଷ ଓ ଉଲ୍ଲାସ ର ସହ ପାଳିତ ହୁଏ |ମୁସଲମାନ ଓ ଖ୍ରୀଷ୍ଟିୟାନ ଭାଇ ଭଉଣୀ ମାନେ ମଧ୍ୟ ସେମାନଙ୍କ ପର୍ବ ପର୍ବାଣି ଅନୁରୂପ ଭାବେ ପାଳନ କରିଥାନ୍ତି |

ଲୋକ ନୃତ୍ୟ ଲୋକ ବାଦ୍ୟ

ଏ ଜିଲ୍ଲା ରେ ମୁଖ୍ୟ ତ ଡାଲଖାଇ ,ରସରକେଲି ,ନାଚନିଆ , ବାଙ୍ଗରୀ, ମାଇଲାଜଡା, ଚୁଟକୁଚୁଟା, ଘୁଡୁକା, ଦଣ୍ଡ, ସଂଚାର ,ସଂପ୍ରଦା, ଘୁମୁରା ,ଢାପ ,କର୍ମା, ଗୌରବାଡି ,କଲଙ୍ଗଦଣ୍ଡା,କୃଷ୍ଣଗୁରୁ ,କିର୍ତନ ,ପଞ୍ଚରସୀ ,ପାଞ୍ଚ ବାଦ୍ୟ (ଗଣ୍ଡା ବଜା ) ,ଜାନୁ ଘଣ୍ଟି ପର୍ଶୁରାମ ଇତ୍ୟାଦି ଲୋକ ପରମ୍ପରାର ନୃତ୍ୟ ତଥା ଲୋକ ବାଦ୍ୟ ବିଶେଷ ପରିମାଣ ରେ ଲୋକ ଲୋଚନ କୁ ଆସିଥାଏ |

ଖେଳ କୁଦ

ଏହି ଜିଲ୍ଲା ର ଉଭୟ ସହରାଞ୍ଚଳ ତଥା ଗ୍ରାମାଞ୍ଚଳ ରେ ବିଶେଷ ଭାବରେ ଗୁଡ଼ୁ , ଛୋର, କେଲୀ , କଂସାଡି, ବାଟି, ଲୁକଲୁକାନି, ବାଡି ଘିଚାନୀ, କୁଣ୍ଢିକାଞ୍ଚି , ହୁମୋ, ଛକା, ବାଗିଡି, ତାସ ଆଦି ଖେଳ କୁଦ ହୋଇଥାଏ | ଏତଦ ବ୍ୟତିତ କବାଡି, ଖୋକୋ, ଭାରଉତ୍ତଳନ, ଦଉଡି ଡିଆଁ, ଫୁଟବଲ ,କ୍ରିକେଟ ,ଭଲିବଲ ,ତଥା ଦୌଡ, କୁସ୍ତି ଖେଳ ରେ ମନ ଏ ଜିଲ୍ଲା ରେ ବେଶ ସୁନାମ ରହିଛି |

ଆୟ ଅଳଙ୍କାର

ବଲାଙ୍ଗିର ଜିଲ୍ଲା ର ସ୍ତ୍ରୀ ଲୋକ ମାନେ ନିମ୍ନ ପ୍ରକାରରେ ଅଳଙ୍କାର ଧାରଣ କରିଥାନ୍ତି |

  • କାନ ପାଇଁ :- ଗଁଠିଆ ,କର୍ଣଫୁଲ ,ଝଲକା ,କାନ ଫସିଆ ,କାନ ନୋଲି , ଶିକଲା , ବେଣ୍ଟଲା ।
  • ନାକ ପାଇଁ :- ଦଣ୍ଡି, ଗୁନା ,ପାନପତ୍ରୀ ଗୁନା ,ନାକ ପୁଟୁକୀ, ଗୁଲା ଗୁନା ।
  • ମୁଣ୍ଡ ପାଇଁ :- ଚାଉରୀମୁଡି, କାକରି, ପାନପତ୍ରୀ, ଗରା, ଖିରପିନି, ଚେପେନା ଇତ୍ୟାଦି ।
  • ବେକ ପାଇଁ – ଗୁଟାମାଲି, ଜିଇଁତିଆ, ଖଗଲା, ପଅଁଲା, ଚାରମାଲି, ପତ୍ରିମାଲି, ଗଜବନ୍ଧ, ଚେନମାଲି ଇତ୍ୟାଦି ।
  • ବାହୁ ପାଇଁ :- ଟାଡ୍, ବାହାସୁତା ଇତ୍ୟାଦି ।
  • ହାତ ପାଇଁ – ରୁପା ଚୁ଼ଡି, କାଚ ଚୁଡି, କତରିଆ, ବନ୍ଦରିଆ, କଲାରି ଇତ୍ୟାତି ।
  • ପାଦ ପାଇଁ – ପଏଁରି, ପାଏଁଝଲ, ମୁଦି (ଅଙ୍ଗଠା, ଝୁଟିଆ, ବିଛୁଆ, ଚୁଟିକି, ଚିଙ୍ଗରି ଝୁପା)

ଜିଲ୍ଲା ପାଠାଗାର

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭଗ ଦ୍ବାଲା ପରିରାଳିତ ଜିଲ୍ଲା ପାଠଗାର ସେପଟେମ୍ବର 1997 ରୁ ଏ ଜିଲ୍ଲାରେ ପ୍ରତିଷ୍ଠିତ ହୋଇ ବର୍ତ୍ତମାନ କୋଶଳ କଳାମଣ୍ଡଳ ପରିସରରେ ସଂସ୍କୃତି ଭବନ ରେ ଚାଲିଛି । ବିଭିନ୍ନ ବିଭାଗର ପ୍ରାୟ 26,200 ପୁସ୍ତକ ଏଠାରେ ଉପଲବଧ । ସରକାରୀ ଅଫିସ ସମୟରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାରହେ । ଏତଦ୍ ବତୀତ ଜିଲ୍ଲାର ଅନ୍ୟ ଅଞ୍ଚଳରେ 23ଟି ଗ୍ରାମ ପାଠଗାର ସ୍ବଛାସେବୀ ଅନୁଷ୍ଠାନ ଦ୍ବାରା ପରିଚାଳିତ ହେଉଅଛି । ବିଭିନ୍ନ ସମୟରେ ଓଡିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ଓଡିଶା ସାହିତ୍ୟ ଏକାଡେମୀ ଏବଂ ରାଜା ରାମମୋହନ ରାୟ ପାଠାଗାର ପୁସ୍ତକ ପ୍ରଦାନ କରୁଅଛନ୍ତି ।

ଜିଲ୍ଲା ସଂଗ୍ରାହଲୟ

କଳାମଣ୍ଡଳ ପରିସରରେ 1996 ଠାରୁ ପ୍ରତିଷ୍ଠିତ ଏହି ସଂଗ୍ରାହଳୟ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତତ୍ତ୍ବାବଧାନରେ ଚାଲିଛି । ସରକାରୀ ଅଫିସ ସମୟରେ ଖୋଲାଯାଏ ।

ଜିଲ୍ଲା ସଂସ୍କୃତି ପରିଷଦ

ଜିଲ୍ଲାପଳ, ବଲାଙ୍ଗିଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲା ସଂସ୍କୃତି ପରିଷଦରେ ଜିଲ୍ଲାସଂସ୍କୃତି ଅଧିକାରୀ ସଂପାଦନ ଦାୟିତ୍ବ ତୁଲାଇଥାନ୍ତି, ଏତଦ୍ ବତୀତ ବିଭିନ୍ନ ସରକାରୀ ଅଧିକାରୀ ଅଗ୍ରଣୀ ସାଂସ୍କୃତିକ ସଂଗଠନର ସଦସ୍ୟ ଏବଂ ଓ଼ଡିଶା ସଂଗୀତ ନାଏକ ଏକାଡେମୀ ଜିଲ୍ଲା ପ୍ରତିନିଧି ସଭ୍ୟ ଭାବେ ମନୋନୀତ ହୋଥାନ୍ତି । ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ବିଭିନ୍ନ ଜୟନ୍ତୀ ତଥା ରାଜ୍ୟସ୍ତରୀୟ ଉତ୍ସବ, ସାହିତ୍ୟ ଆସର ଆୟୋଜନ କରାଯାଇଥାଏ । ଏତଦ୍ ବତୀତ ଜିଲ୍ଲାର କଳାକାର ତଥା ଦଳକୁ ରାଜ୍ୟସ୍ତରୀୟ ଉତ୍ସବ ତଥା ଲୋକ ଉତ୍ସବ ମାନଙ୍କରେ ଅଂଶଗ୍ରହଣ ପାଇଁ ପ୍ରେରଣ କରାଯାଇଥାଏ ।

ଜିଲ୍ଲା କଳା ସଂସ୍କୃତି ସଂଘ

ଜିଲ୍ଲାର ବିଭିନ୍ନ ଲୋକକଳା ଓ କଳାକାରଙ୍କୁ ଚିହ୍ନଟ କରିବା ଓ ଠିକ ମର୍ଯ୍ୟାଦା ଦେବା ସହ ଲୋକ କଳାକାରମାନଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ନିମନ୍ତେ ଜିଲ୍ଲା କଳା ସଂସ୍କୃତି ସଂଘ ଓ ବ୍ଲକ ସ୍ତରରେ ବ୍ଲକ କଳା ସଂସ୍କୃତି ସଂଘ ଗଠନ ହୋଇଛି । ଜିଲ୍ଲାସ୍ତରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜଣେ ଜଣେ ବରିଷ୍ଠ କଳାକାର ଉପ-ସଭାପତି , ଜିଲ୍ଲା ସଂସ୍କୃତି ଅଧିକାରୀ , ସମ୍ପାଦକ ଓ କିଛି ସ୍ବନାମଧନ୍ୟ ବରିଷ୍ଠ କଳାକାରଙ୍କୁ ନେଇ ଜିଲ୍ଲା କଳା ସଂସ୍କୃତି ସଂଘ ଏବଂ ବ୍ଲକ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଜଣେ ସ୍ବନାମଧନ୍ୟ କଳାକାର ଉପ-ସଭାପତି, ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ, ସମ୍ପାଦକ ଏବଂ ଅନ୍ୟ କଳାକରା ମାନଙ୍କୁ ନେଇ ବ୍ଲକ କଳା ସଂସ୍କୃତି ସଂଘ କାର୍ଯ୍ୟକ୍ଷମ ରହିଛି । ଏହା ମାଧ୍ୟମରେ ଉପଯୁକ୍ତ କଳାଗୋଷ୍ଠୀ ଚୟନ ପୂର୍ବକ ସରକାରଙ୍କ ବିଭିନ୍ନ ବିଭାଗର ଯୋଜନାର ସଫଳ ରୂପାୟନ ତଥା ଜନ ସଚେତନତା ପାଇଁ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଥାଏ । ବିଶେଷ କରି ସ୍ବାସ୍ଥ୍ୟ, ଗ୍ରାମ୍ୟ ଜଳଯୋଗାଣ, ସର୍ବଶିକ୍ଷା ଅଭିଯାନ, ଶ୍ରମବିଭାଗ, କୃଷି , ଅବକାରୀ, ଗ୍ରାମ୍ୟ ଉନ୍ନୟନ, ଯୋଗାଣ, ଅନୁସୂତିତ ଜାତି ଜନ ଜାତି ଉନ୍ନୟନ ଆଦି ବିଭାଗର କାର୍ଯ୍ୟକ୍ରମକୁ କଳାକାର ମାନେ ନିଜ ଶୌଳୀରେ ଲୋକ ଗୀତ ଲୋକ ନୃତ୍ୟ ମାଧ୍ୟମରେ ପ୍ରଚାର ପ୍ରସାର କରିଥାନ୍ତି । ଏହି ଯୋଜନା ପତ୍ୟକ୍ଷ୍ୟଓ ପରୋକ୍ଷ ଭାବେ କଳାକାରଙ୍କ ନିତିଦିନିଆଁ ଚଳଣୀରେ ମଧ୍ୟ ସହାୟକ ହୋଇଥାଏ ।

କୋଶଳ କଳା ମଣ୍ଡଳ

1940 ମସିହାରେ ପାଟଣାଷ୍ଟେଟର ତତ୍କାଳୀନ ମହାରାଜ ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓ ଙ୍କଦ୍ବାରା ପ୍ରତିଷ୍ଠିତ କୋଶଳ କଳାମଣ୍ଡଳର ମୂଳଲକ୍ଷ୍ୟ ଥିଲା ନୃତ୍ୟ, ଗୀତ ଓ କ୍ରୀଡାର ଉନ୍ନତି କରିବା । ବର୍ତ୍ତମାନ ଏହା ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ପୃଷ୍ଠପୋଷକତାରେ ନୂତନ ଭାବେ ଗଠିତ ଏହାର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ, ସଂପାଦକ ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ସଭ୍ୟଭାବେ ଅନ୍ୟନ୍ୟା ସରକରୀ ଅଧିକାରୀ ତଥା ବରିଷ୍ଠ ସଂସ୍କୃତି ସାଧକ ରହିଛନ୍ତି । କୋଶଳ କଳା ମଣ୍ଡଳର ଦୁଇଟି ରଂଗମଞ୍ଚରେ ବର୍ଷର ବିଭିନ୍ନ ସମୟରେ ନୃତ୍ୟ, ଗୀତ ତଥା ନାଟକ ଉତ୍ସବ ମାନ ପାଳିତ ହୋଇଥାଏ ।

ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ

  • ପଞ୍ଚମ, ବଲାଙ୍ଗିର
  • ନଟରାଜ କଳା ପରିଷଦ, ବଲାଙ୍ଗିର
  • ସ୍ବରଝଙ୍କାର, ବଲାଙ୍ଗିର
  • ଏକତାରା କଳାକେନ୍ଦ୍ର, ଟିଟିଲାଗଡ
  • ଉକ୍ତଳ କଳାକେନ୍ଦ୍ର, ଟିଟିଲାଗଡ
  • ସାରସ୍ବତ କଳାପରିଷଦ, ପାଟଣାଗଡ
  • ସାତ କୁଆଁରୀ, ପାଟଣାଗଡ
  • ଘୁଙ୍ଗୁରୁ କଳା ପରିଷଦ, ପୁଇଁତଲା
  • ଢୋଲମହୁରୀ କଳା ପରିଷଦ, ପୁଇଁତଲା
  • ସୁର ସଙ୍ଗମ, ଲୋଇସଂହା,
  • ସଙ୍ଗୀତ ସାଧନା, ଲୋଇସିଂହା
  • କଳାଧାମ, ବଲାଙ୍ଗିର

ପ୍ରରୁଖା ସାହିତ୍ୟ ଅନୁଷ୍ଠାନ

  • ଜିଲ୍ଲା ଲେଖକ ପରିଷଦ, ବଲାଙ୍ଗିର
  • ଆତ୍ମପ୍ରକାଶନୀ, ବଲାଙ୍ଗିର
  • ଲିଟେରାରୀ ଓ ସୋସିଏଲ କ୍ଲବ, ବଲାଙ୍ଗିର
  • ସାହିତ୍ୟ ଘର, ବଲାଙ୍ଗିର
  • ଅବସର ବିନୋଦନ ସାହିତ୍ୟ ସମିତି, ବଲାଙ୍ଗିର
  • ରଚନା, ବଲାଙ୍ଗିର
  • ସାହିତ୍ୟ ସଂସ୍କୃତି, ଟିଟିଲାଗଡ
  • ସଂସ୍କୃତି ପରିଷଦ, ପାଟଣାଗଡ

ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ

  • ଭୂମିକା, ବଲାଙ୍ଗିର
  • ସପ୍ତରଙ୍କ, ବଲାଙ୍ଗିର
  • ନାଟ୍ୟକ୍ରାନ୍ତି, ବଲାଙ୍ଗିର
  • ସାଇଟ ସଂସ୍କୃତିକ ସଂସଦ, ସଦେଇପାଲି