୧୯୪୯ ମସିହା ନଭେମ୍ବର ପହିଲାରେ ବଲାଙ୍ଗିର ସହରରେ ଜିଲ୍ଲା ମୁଖ୍ୟ କାର୍ଯ୍ୟ।ଳୟ ପ୍ରତିଷ୍ଠା କରି ଏହାକୁ ଜିଲ୍ଲା ରୂପରେ ଘୋଷଣା କରାଗଲା । ଏହି ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତର ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ । ଅନେକ ଝରଣା ଏହି ପର୍ବତରୁ ଝରିଆସୁଛି । ବଳରାମଗଡ ଥିଲା ବଲାଙ୍ଗିର ସହରର ପୁରାତନ ନାମ । ଷୋଡଶ ଶତାବ୍ଦୀ ରେ ସମ୍ବଲପୁର ସାମ୍ରାଜ୍ୟର ପ୍ରତିଷ୍ଠାତ। ତଥା ଚୌହାନ ବଂଶର ଉନ୍ନବିଂଶତମ ରାଜା ଶ୍ରୀ ବଲରାମ ଦେଓ ବଳରାମଗଡ ନାମକ ଏକ ଦୁର୍ଗ ନିର୍ମାଣ କରିଥିଲେ ଏବଂ ସେହି ଦୁର୍ଗ ର ନାମାନୁସାରେ ବଲାଙ୍ଗିର ଜିଲ୍ଲା ନାମିତ ହୋଇଛି । ଏହି ଜିଲ୍ଲାର ପୂର୍ବରେ ସୁବର୍ଣପୁର , ପଶ୍ଚିମରେ ନୂଆପଡା, ଉତ୍ତରରେ ବରଗଡ଼ ଓ ଦକ୍ଷିଣରେ କଳାହାଣ୍ଡି ଜିଲ୍ଲା ଅବସ୍ଥିତ । ଏହି ଜିଲ୍ଲା ୨୦ ଡିଗ୍ରୀ ୧୧’ ୪୦” ରୁ ୨୧ ଡିଗ୍ରୀ ୫’ ୦୭” ଉତ୍ତର ଅକ୍ଷାଂଶ ଏବଂ ୮୨ ୪୧’ ୧୫”ରୁ ୮୩ ଡିଗ୍ରୀ ୪୦’ ୨୨” ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ଏହି ଜିଲ୍ଲା ୬୫୭୫ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଅଟେ ।
ବଲାଙ୍ଗିର ଜିଲ୍ଲାର ଲୋକସଂଖ୍ୟା ହାରାହାରି ୧୬,୪୮,୯୯୭ , ତନ୍ମଧ୍ୟରୁ ୮,୩୦,୦୯୭ ଓ ମହିଳା ଲୋକସଂଖ୍ୟା ୮,୧୮,୯୦୦ ଅଟେ । ଏହି ଜିଲ୍ଲାରେ ଅନୁସୂଚିତ ଜାତିଙ୍କ ଲୋକସଂଖ୍ୟା ୨,୯୪,୭୭୭ ଓ ଅନୁସୂଚିତ ଅନୁଜତି ଲୋକସଂଖ୍ୟା ୩,୦୭,୧୬୪ ଅଟେ । ବଲାଙ୍ଗିର ଜିଲ୍ଲାରେ ତିନି ଗୋଟି ଜିଲ୍ଲା ଉପଖଣ୍ଡ , ୧୪ ଟି ତହସିଲ , ୧୪ ଟି ବ୍ଲକ , ୨ ଟି ମ୍ୟୁନିସିପାଲଟି , ୩ ଟି ଏନ.ଏ.ସି. , ୧୮ ଟି ଥାନା , ୨୮୫ ଟି ଗ୍ରାମପଞ୍ଚାୟତ ଅଛି । ଏହି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୬.୬ ସେଣ୍ଟିଗ୍ରେଡ ଓ ସର୍ବୋଚ୍ଚ ତାପମାତ୍ରା ୪୮.୦୭ ସେଣ୍ଟିଗ୍ରେଡ ପରିମିତ କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ହାରାହାରି ୧୨୧୫.୬ ମିଲିମିଟର ବୃଷ୍ଟିପାତ ମାପନ ହୋଇଛି । ଏହି ଜିଲ୍ଲାର ଅର୍ଥ ବ୍ୟବସ୍ଥା ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ପର୍ଯ୍ୟଟନ ଶିଳ୍ପ ରୁ ମଧ୍ୟ କିଛି ଅର୍ଥ ଅଂଶଦାନ କରିଥାଏ ।
ବଲାଙ୍ଗିର ଜିଲ୍ଲାରେ ଦେଖାଯାଉଥିବା ପ୍ରଧାନ ମୃତ୍ତିକା ଗୁଡିକ ହେଲା କଳା ମାଟି, ଲାଲ ମାଟି, ମିଶ୍ରିତ ଲାଲ ମାଟି, ଓ ସଞ୍ଚିତ ମୃତ୍ତିକା । ଜିଲ୍ଲାର ଶତକଡା ୭୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । ବର୍ତ୍ତମାନ ଜିଲ୍ଲାରେ ୩,୪୫,୬୫୦ ହେକ୍ଟର କ୍ଷେତ୍ର ଚାଷୋପଯୋଗୀ ଅଟେ । ଏହି ଜିଲ୍ଲାର ପ୍ରଧାନ ଫସଲ ଧାନ ଯାହାକି ସମୁଦାୟ କୃଷିକ୍ଷେତ୍ର ର ଶତକଡା ୬୧ ଭାଗ ଅଟେ । ଏହି ଜିଲ୍ଲାର ଅନ୍ୟ ପ୍ରଧାନ ଶସ୍ୟ ମଧ୍ୟରେ ଶତକଡା ୧୪ ଭାଗ ଡାଲି, ଶତକଡା ୪ ଭାଗ ତୈଳବୀଜ, ଶତକଡା ୪ ଭାଗ ତନ୍ତୁଜାତୀୟ ଦ୍ରବ୍ୟ, ଶତକଡା ୨ ଭାଗ ପନିପରିବା ଓ ଅନ୍ୟ ଖାଦ୍ୟଶସ୍ୟ ଯଥା ମସଲାଜାତୀୟ ଦ୍ରବ୍ୟ ଉତ୍ପାଦନ କରାଯାଏ ।
ଏହି ଜିଲ୍ଲାର ସାକ୍ଷରତା ହାର ଶତକଡା ୬୫.୫୦, ସେଥିରୁ ପୁରୁଷ ସାକ୍ଷରତା ହାର ଶତକଡା ୭୭.୦୮ ହୋଇଥିବା ବେଳେ ମହିଳା ସାକ୍ଷରତା ହାର ଶତକଡା ୫୩.୭୭ ଅଟେ । ଜିଲ୍ଲାରେ କଳା , ବାଣିଜ୍ୟ, ଇଞ୍ଜିନିୟରିଂ, ଚିକିତ୍ସା ବିଜ୍ଞାନ, ଆଇନ, ସାମ୍ବାଦିକତା ଆଦି ବିଷୟରେ ପିଲାଙ୍କୁ ଯୋଗ୍ୟ କରିବାକୁ ଅନେକ ଗୁଡିଏ ଶିକ୍ଷାନୁଷ୍ଠାନ ଗଢିଉଠିଛି । ଜିଲ୍ଲାର ରାଜେନ୍ଦ୍ର (ସ୍ୱୟମଂ ଶାସିତ) ମହାବିଦ୍ୟାଳୟ, ବିଦ୍ୟା ଭୁଷନ ସଂକୃତ ମହାବିଦ୍ୟାଲୟ, ସରକାରୀ ଭେଷଜ ମହାବିଦ୍ୟାଲୟ ଓ ଚିକିତ୍ସାଳୟ, ସରକାରୀ ଆର୍ୟୁବେଦିକ ମହାବିଦ୍ୟାଲୟ ଓ ଚିକିତ୍ସାଳୟ, ବଲାଙ୍ଗିର ଆଇନ ମହାବିଦ୍ୟାଳୟ, ସରକାରୀ ମହିଲା ମହାବିଦ୍ୟାଲୟ, ବଲାଙ୍ଗିର ସରକାରୀ ମହାବିଦ୍ୟାଲୟ, ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ପାଟଣାଗଡ ର ଜବାହାର ଳାଲ ମହାବିଦ୍ୟାଳୟ, ଟିଟିଲାଗଡ ର ଡି.ଏ.ଭି. ମହାବିଦ୍ୟାଳୟ, ସରକାରୀ ବହୁବୃତି ଅନୁଶ୍ଠାନ, ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ଅନୁଷ୍ଠାନ (SIHM) ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ମାନ ଅଛି ଏତତ୍ ବ୍ୟତିତ ଅନେକ ସରକାରି ଓ ବେସରକାରି ଶିକ୍ଷାନୁଷ୍ଠାନ ଗୁଡିକ ଗଢି ଉଠିଛି ।
ଏହି ଜିଲ୍ଲାର ଅଧିବାସୀ ମାନେ ପରମ ଆଗ୍ରହରେ ଶୀତଳ ଷଷ୍ଠୀ , ନୂଆଖାଇ , ଭାଇ-ଜିଉନ୍ତିଆ, ପୁଅ-ଜିଉନ୍ତିଆ , ପାଟଖଣ୍ଡା ଯାତ୍ରା, ମହା ଶିବରାତ୍ରୀ ମେଳା, ଶ୍ରବଣ ପୂର୍ଣ୍ଣିମା ଆଦି ପାଳନ କରିଥାନ୍ତି । ଜିଲ୍ଲାର ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ମଧ୍ୟରେ ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂ ଦେଓ (ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ), ଡକ୍ଟର ଶ୍ରୀ ନିବାସ ଉଦ୍ଗାତା (ଲେଖକ), ଇଂ ଶ୍ୟାମ ପିଟ୍ରୋଡା (ଦୂରାସଞ୍ଚାର ବୈଜ୍ଞାନିକ), ଶ୍ରୀମତୀ ଗାୟତ୍ରୀ ସରାଫ (ଲେଖିକା), ସୁଶ୍ରୀ ଆନନ୍ଦିନୀ ଦର୍ଜୀ ( କ୍ରୀଡାବିତ) ଏ ମାଟିର ଗର୍ବ ଓ ଗୌରବ ଅଟନ୍ତି ।